ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ମୁଖ୍ୟ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର ବିଜେପିକୁ ଟାର୍ଗେଟ କରିଛନ୍ତି । ସେ ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ଯେତେବେଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇପାରିବ, ତେବେ ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ କାହିଁକି ଗିରଫ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ପ୍ରିୟଙ୍କା କକ୍କର କହିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡ ଏକ ଖୋଲା ମାମଲା। ଏଜେନ୍ସିଗୁଡ଼ିକ ୧୦ ବର୍ଷ ଧରି ବିଜେପି ସହିତ ଅଛନ୍ତି । କିନ୍ତୁ ସମସ୍ତେ ଦେଖିଛନ୍ତି ଯେ ଏଠାରେ କୌଣସି କଂଗ୍ରେସ ନେତାଙ୍କୁ ଗିରଫ କରାଯାଇ ନାହିଁ। ଯେତେବେଳେ ସରକାର କୌଣସି ପ୍ରମାଣ ବିନା ଏବଂ ଆଇନଗତ ପ୍ରକ୍ରିୟା ଅନୁସରଣ ନକରି ଏକ ମିଥ୍ୟା ମାମଲା କରି ମୁଖ୍ୟମନ୍ତ୍ରୀ ଥିବା ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଯାଇଥିଲା । ସେ କହିଛନ୍ତି ଯେ, ବିଜେପି ପ୍ରତି ୧୦ ବର୍ଷରେ ନିର୍ବାଚନ ସମୟରେ ନ୍ୟାସନାଲ ହେରାଲ୍ଡ ପ୍ରସଙ୍ଗ ଉଠାଇଥାଏ କିନ୍ତୁ କାହାକୁ ଗିରଫ କରାଯାଏ ନାହିଁ। ଏହା ଏପରି କାହିଁକି ? କାରଣ ଏହା ଉଭୟ ଦଳ (କଂଗ୍ରେସ ଏବଂ ବିଜେପି) ମଧ୍ୟରେ ଏକ ସନ୍ଧି।
ପ୍ରିୟଙ୍କା କକ୍କର କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ଉଠାଯାଏ ଏବଂ ଏହା ପରେ ଏହି ପ୍ରସଙ୍ଗ ଥଣ୍ଡା ପଡ଼ିଯାଏ। ଯଦି ଏହି ଦୁଇ ଦଳ ସମାନ ନୁହଁନ୍ତି, ତେବେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଗିରଫ କରାଯିବା ଉଚିତ । ଯାହାଙ୍କ ଉପରେ ବିଜେପି ୧୦ ବର୍ଷ ହେଲା ଠକେଇ ନେଇ ଅଭିଯୋଗ କରୁଛି। ସରକାରଙ୍କ ପାଖରେ ସମସ୍ତ ଏଜେନ୍ସି ଅଛି । ଯଦି କେଜରିୱାଲଙ୍କୁ ଗିରଫ କରାଯାଇଥିଲା ତେବେ ତାଙ୍କୁ କାହିଁକି ଗିରଫ କରାଯାଉନାହିଁ ?
ଏହା ସହିତ, ପଳାତକ ମେହୁଲ ଚୋକସିଙ୍କ ଗିରଫଦାରୀ ଏବଂ ଭାରତ ପ୍ରତ୍ୟର୍ପଣ ଉପରେ ପ୍ରତିକ୍ରିୟା ଦେଇ, ସେ ଚୋକସିଙ୍କୁ ଦେଶରୁ କିଏ ପଠାଇଲା ବୋଲି ପ୍ରଶ୍ନ କରିଛନ୍ତି । ସରକାର ପ୍ରଥମେ କହିବା ଉଚିତ ଯେ ସେମାନଙ୍କୁ କିଏ ଘଉଡ଼ାଇ ଦେଇଥିଲା। ବିଜେପି ସରକାର ତାଙ୍କୁ ଭାରତ ଫେରାଇ ଆଣିପାରିବ କି ? ଯଦି ସମ୍ଭବ ହୁଏ, ତେବେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କ୍ଷମା କରିଦେବେନି ତ ? ପ୍ରତି 6 ମାସରେ ବିଜେପି ଏପରି ପରିବେଶ ସୃଷ୍ଟି କରେ ଯେ, ନୀରବ ମୋଦି ଆସିବେ, ଦାଉଦ ଇବ୍ରାହିମ ଆସିବେ, ମେହୁଲ ଚୋକସି ଆସିବେ, ବିଜୟ ମାଲ୍ୟା ଆସିବେ । କିନ୍ତୁ ଏପର୍ଯ୍ୟନ୍ତ କେହି ଆସିପାରିଲେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।